ଓପିଜିସିରେ ପେନସନ ବ୍ୟବସ୍ତା ଲାଗୁ କରିବା ଦାବି ଜୋର ଧରିଲା
ଓପିଜିସି କର୍ମଚାରୀ ଫେଡେରସନ ଗତ ୨୧.୦୨.୨୦୨୪ ଠାରୁ ପାଞ୍ଚଦଫା ଦାବି ନେଇ ଇବ ଥର୍ମାଲ ଝାରସୁଗୁଡା ଏବଂ ଫର୍ଟୁନ ଟାୱାର ଭୁବନେଶ୍ବର ଅଫିସ ସମ୍ମୁଖରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଓପିଜିସି କର୍ମଚାରୀ ମାନଙ୍କପାଇଁ ପେନସନ ନୀତି ପ୍ରଣୟନ କରିବା, ଦୁଇଟି ଇଙ୍ଗ୍ରିମେଣ୍ଟ ସହିତ ସପ୍ତମ ବେତନ ବୃଦ୍ଧିକୁ ସଂଶୋଧନ କରିବା, ୨୬,୧୦.୨୦୦୨ରୁ କନିଷ୍ଟ ସହାୟକ ମାନଙ୍କର ପଦୋନ୍ନତି ନିୟମ କାର୍ଯ୍ୟକାରୀ କରିବା, କର୍ପୋରେଟ ପଦୋନ୍ନତି କମିଟି (ସିପିସି) ୨୦୨୨ ଓ ୨୦୨୩ ଲାଗୁକରି ପଦୋନ୍ନତି ଦେବା, ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପୁନଃନିଯୁକ୍ତି ବନ୍ଦକରିବା ଏବଂ ଫେଡେରସନ କର୍ମକର୍ତ୍ତା ମାନଙ୍କ ଉପରେ ପ୍ରୟୋଗ ହୋଇଥିବା ଶୃଙ୍ଖଳାଗତ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିବା ଦାବିଗୁଡିକ ମୁଖ୍ୟ ହୋଇଛି I ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଏଚପିସି, ଓପିଟିସିଏଲ, ଗ୍ରୀକ୍କୋ ଏବଂ ବିତରଣ କମ୍ପାନୀ ଗୁଡିକରେ କାର୍ଯ୍ୟରତ କର୍ମଚାରୀ ମାନେ ପେନସନ ପାଉଥିବା ବେଳେ ଓପିଜିସି କର୍ମଚାରୀମାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି? ଓଡିଶା ସରକାରଙ୍କ ୩୫ଟି ନିଗମ ମଧ୍ୟରୁ ଓପିଜିସି ଦ୍ଵିତୀୟ ଲାଭକାରି ନିଗମ ଭାବେ ପରିଚୟ ବଜାୟ ରଖୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓପିଜିସି ୧୧୦୦ କୋଟିଟଙ୍କା ଲାଭ ଉପାର୍ଜନ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ପାଇଁ ୧୦୦୦ କୋଟିଟଙ୍କା ଲାଭ ଆକଳନ କରାଯାଇଛି। ତେବେ କର୍ମଚାରୀମାନେ ଏପରି ପାରଦର୍ଶିତା ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କୁ ପେନସନ ନୀତିରୁ ବଞ୍ଚିତ କରିବାଘଟଣା ଓଡିଶା ଶିଳ୍ପବିକାଶ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଭାରତର ସମସ୍ତ ନିଗମ ସହ ଅନ୍ୟ ରାଜ୍ୟଗୁଡିକରେ ଥିବା ବିଦ୍ୟୁତ ନିଗମଗୁଡିକରେ ପେନସନ ବ୍ୟବସ୍ତା ପ୍ରଚଳିତ ଥିବାବେଳେ ଓପିଜିସି ଏକମାତ୍ର ବିଦ୍ୟୁତ ଉତ୍ପାଦନ ନିଗମ ହିସାବରେ ସେଥୁରୁ କାହିଁକି ବାଦପଡିଛି ଯୁକ୍ତି ଫେଡେରେସନ ସଭାପତି ଉପସ୍ଥାପନ କରିଛନ୍ତି। ଓପିଜିସିରେ ପେନସନ ବ୍ୟବସ୍ତା ଲାଗୁକରିବା ପାଇଁ ବହୁତ ଦିନରୁ ଦାବି ହୋଇଆସୁଥିବା ସତ୍ତ୍ୱେ ଏଇଏସ ପରିଚାଳନା କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ପାଇଁ ଲାଗୁକରିବା ସମ୍ଭବ ହୋଇନାହିଁ। କିନ୍ତୁ ଏଇଏସ ଓହରିଯିବା ପରେ ଓପିଜିସି ସମ୍ପୂର୍ଣ ସରକାରୀ ନିଗମରେ ପରିବର୍ତ୍ତନ ହୋଇଯାଇଛି। ତେବେ ବର୍ତ୍ତମାନ ଓପିଜିସି ପରିଚାଳନା ଦାୟିତ୍ଵରେ ଥିବା ସରକାରୀ ନିର୍ଦ୍ଦେଶକମାନେ ପେନସନ ବ୍ୟବସ୍ତା ପ୍ରଚଳନ ପାଇଁ ଟାଳଟୁଳ ଅପଣାଇବାର ପଛରେ ଉଦ୍ଧେଶ୍ୟ କଣ?
ଓପିଜିସିରେ ପେନସନ ଲାଗୁକରିବା ପାଇଁ ଆଜିର ରେଡକ୍ରସ ଭବନରେ ଓପିଜିସି ଅଫିସର ସଂଘ, ଓପିଜିସି ଏମେ ୟୀ ୟୁନିୟନ, ଓପିଜିସି ଅବସରପ୍ରାପ୍ତ କର୍ମଚାରୀ ସଂଘ ଏବଂ ଓଏଚପିସି, ଓପିଟିସିଏଲ, ବିତରଣ କମ୍ପାନୀ ଏବଂ ସାରାଓଡିଶା ନିଗମ କର୍ମଚାରୀ ମହାସଂଘର କର୍ମକର୍ତ୍ତା ଓ ପ୍ରତିନିଧୁ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି ଯେପର୍ଯ୍ୟନ୍ତ ଓପିଜିସି କର୍ତ୍ତୃପକ୍ଷ ଓ ରାଜ୍ୟସରକାର ଓପିଜିସିରେ ପେନସନ ବ୍ୟବସ୍ତା ଲାଗୁକରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରି ନାହାନ୍ତି ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଓ ବିକ୍ଷୋଭ ଜାରିରହିବ ଓ ଆଗାମୀ ଦିନରେ ତୀବ୍ରତର କରାଯିବ।