ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ଫଟୋ ପ୍ରଘଟ ୩ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର :-ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ଆପତ୍ତିଜନକ ଫଟୋ ପ୍ରଘଟ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୈନିକ ‘ସମାଜ’ର ସହକାରୀ ପରିଚାଳକ ବିନାୟକ ଶତପଥୀଙ୍କ ଅଭିଯୋଗ ଆଧାରରେ ପୁଲିସ ପୂର୍ବତନ କର୍ମଚାରୀ ଚନ୍ଦନ ଦାସ, ଯାଜପୁର ଶାଖାରେ କାର୍ଯ୍ୟରତ ଦେବାଶିଷ ମିଶ୍ର ଓ ପୁରୀର ବନମାଳି ଦାସ ମାମଲାରେ ଅଭିଯୁକ୍ତ ଅଛନ୍ତି। ଘଟଣାର ତଦନ୍ତ ପରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅଭିଯୋଗରୁ ପ୍ରକାଶ, ଖଣ୍ଡଗିରି ଥାନା ଜଗମୋହନ ନଗର ସ୍କ୍ରିନ୍ ପାର୍କ ପ୍ଲଟ୍ ନଂ ୧୦୧୩ରେ ଶ୍ରୀ ଶତପଥୀ ପରିବାର ସହ ରହୁଛନ୍ତି। ‘ସମାଜ’​‌େ​‌ର ସେ ସମ୍ପ୍ରତିକ ଭୁବନେଶ୍ବରରେ କାର୍ଯ୍ୟ କରୁଛନ୍ତି। ଗତ ୨୬ ତାରିଖ ଦିନ ତାଙ୍କ ମୋବାଇଲ ଫୋନ୍ ନମ୍ବର ୭୦୦୮୩୮୪୦୮୩ ହ୍ବାଟ୍ସଆପ୍‌କୁ କିଛି ସାଙ୍ଗ ଆପତ୍ତିଜନକ ଫଟୋ ‌ପଠାଇଥିଲେ। ଏହି ଫଟୋକୁ ଦେଖିବା ପରେ ଶ୍ରୀ ଶତପଥୀ ମାନସିକ ଭାରସାମ୍ୟ ହରାଇବସିଥିଲେ। ପରେ ଅନ୍ୟ ସାଙ୍ଗମାନେ ମଧ୍ୟ ଏପରି ଆପତ୍ତିଜନ ଫଟୋ ପଠାଇବା ଆରମ୍ଭ କରିଥିଲେ। ଉକ୍ତ ସାଙ୍ଗଙ୍କୁ ଫୋନ୍ କରି ପଚାରିବା ପରେ ଏଭଳି ଫଟୋ ଫେସ୍‌ବୁକ୍‌ରେ ପ୍ରଘଟ ହୋଇଥିବା ସେମାନେ କହିଥିଲେ। ସେହି ଫଟୋକୁ ଦେଖିବା ପରେ ତାହା ୨୦୧୮ରେ ସମ୍ବଲପୁର ଗୋପାଳମାଳ ଭଡ଼ାଘରେ ଶୋଇଥିବା ବେଳର ଫଟୋ ବୋଲି ଶ୍ରୀ ଶତପଥୀ ଜାଣିବାକୁ ପାଇଥିଲେ। ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏଭଳି ଶୋଇଥିଲେ। ହେଲେ ସେହି ସମୟରେ ସମ୍ବଲପୁର ଶାଖାରେ କାର୍ଯ୍ୟରତ ଦେବାଶିଷ ମିଶ୍ର (ଏବେ ଯାଜପୁର ଶାଖାରେ କାର୍ଯ୍ୟରତ) ନିଜ ମୋବାଇଲରେ ଫଟୋ ଥଟ୍ଟା ମଜାରେ ଉଠାଇଥିଲେ। ଉକ୍ତ ଫଟୋକୁ ସେ କଟକରେ ରହୁଥିବା ଚନ୍ଦନ ଦାସକୁ ଦେଇଥିବା ଶ୍ରୀ ଶତପଥୀ ସନ୍ଦେହ କରିଥିଲେ। ଉକ୍ତ ଫଟୋକୁ ଚନ୍ଦନ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିଲା। ଚନ୍ଦନ ପୂର୍ବରୁ ‘ସମାଜ’ରେ କାମ କରୁଥିଲା। ଅନିୟମିତତା ଅଭିଯୋଗରେ କାର୍ଯ୍ୟାଳୟ ତାକୁ ଚାକିରିରୁ ବହିଷ୍କାର କରିଥିଲା। ପରେ ଉକ୍ତ ଫଟୋକୁ ପୁରୀର ବନମାଳି ଦାଶ ଫେସ୍‌ବୁକରେ ପ୍ରଘଟ କରିଛନ୍ତି। ସେହିପରି ଭୁବନେଶ୍ବରର ରଞ୍ଜନ ପାଣିଗ୍ରାହୀ ନାମକ ବ୍ୟକ୍ତି ମଧ୍ୟ ତାଙ୍କ ଆପତ୍ତିଜନକ ଫଟୋକୁ ପ୍ରସାରଣ କରିଥିବା ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି। ଫଳରେ ଫେସ୍‌ବୁକ୍‌ରେ ତାଙ୍କ ବନ୍ଧୁ, ସହକର୍ମୀ, ‘ସମାଜ’ କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କ ନିକଟରେ ସେ ନିନ୍ଦିତ ହୋଇଥିବା ଶ୍ରୀ ଶତପଥୀ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପଟେ ଚନ୍ଦନ ପୂର୍ବରୁ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଘର ନିକଟରେ ଚନ୍ଦନ ପହଞ୍ଚି ଆକ୍ରମଣ କରିବା ସହ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଶ୍ରୀ ଶତପଥୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ବିଏନ୍‌ଏସ୍‌- ୧୨୬ (୨), ୨୯୬, ୩୫୧(୨), ୩୫୧ (୩), ୩୫୬(୨), ୩୫୬(୩), ୩ (୫) ଓ ଆଇଟି ଆକ୍ଟ ୬୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।