ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ ୯-୧୧ ଫେବୃୟାରୀ, ୨୦୨୪, ୬ ଘ. ୩୦ ମି ଐତିହାସିକ ଧଉଳି ପାହାଡ଼ର ପାଦ ଦେଶ

ଓଡ଼ିଆ
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଓ ଓଡିଶା ଡ୍ୟାନ୍ସ ଏକାଡେମୀ
ସହଯୋଗ : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଆର୍ଟ ଭିଜନ, ଭୁବନେଶ୍ବର
ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ସମାନ୍ତରାଳ ଧାରାରେ ଯେପରି ଏକାମ୍ର ଉତ୍ସବ
ପାଳିତ ହେଉଅଛି ଠିକ ସେହିପରି ପରିପୂରକ ଭାବରେ ଆସନ୍ତା ଫେବୃୟାରୀ ୯ ତାରିଖରୁ ୧୧ ତାରିଖ
ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ । ଯେଉଁ ଓଡିଆ ଭାଷା ଆମ
ଅସ୍ମିତାର ପରିଚୟ, ସେହି ଭାଷା ହିଁ ଆମ ଭବିଷ୍ୟତ । ତାହା ମଧ୍ୟ ଏହି ମହୋତ୍ସବରେ ପ୍ରତିଫଳିତ ହେବ
ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ।
ଓଡିଶା ସରକାର, ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ବ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ
ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ । ଓଡିଶାକୁ ବିଶ୍ବ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର
ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି
ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି
ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ ।
ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ବ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦ ଦେଶରେ
ଅନୁଷ୍ଠିତ ହୋଇଥାଏ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ
ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି ।
ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ
ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଥାଏ ।